ବିଜେଡ଼ିର ନାରୀ ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ବ୍ରହ୍ମପୁର ଏସ୍ପି କାର୍ଯ୍ୟାଳୟ ପରିସରରେ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ, ଗୁରୁତ୍ତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର ।

YouTube video

ବ୍ରହ୍ମପୁର : ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପଣ୍ଡା କଲୋନୀ ନିବାସୀ ତଥା ବିଜେଡ଼ିର ନାରୀ ନେତ୍ରୀ ମିନାକ୍ଷୀ ମିଶ୍ର ବୁଧବାର ବ୍ରହ୍ମପୁର ଏସ୍ପିଙ୍କ କାର୍ଯ୍ୟାଳୟ ପରିସରରେ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ସହରରେ ଆଲୋଚନାର ବିଷୟ ହୋଇଛି । ଏପରି ଆତ୍ମହତ୍ୟା ଉଦ୍ୟମ ଯୋଗୁଁ ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ି ଯାଇଥିବାବେଳେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସେ କିଛିଦିନ ପୂର୍ବେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ତାଙ୍କ ପୁଅ ରାଜାକୁ ପୋଲିସ ମିଥ୍ୟା ମକଦ୍ଧମା ରୁଜୁ କରି ଗିରଫ କରିଥିବା ଅଭିଯୋଗ କରିଥିଲେ । ଏହି ଘଟଣା ନେଇ ସେ ବୁଧବାର ବ୍ରହ୍ମପୁର ଏସ୍ପିଙ୍କ କାର୍ଯ୍ୟାଳୟ ଆସିଥିବାବେଳେ ସେଠାରେ ସେ ଏଏସ୍ପିଙ୍କ ସହ ଆଲୋଚନା କରିଥିଲେ । ସୁଚନାଯୋଗ୍ୟ ଗତ ୨୮ ତାରିଖରେ ତାଙ୍କ ବାସଭବନ ସମ୍ମୁଖରେ ମିନାକ୍ଷୀ ଓ ତାଙ୍କ ପୁଅ ରାଜାଙ୍କୁ କିଛି ଯୁବକ ଘାତକ ଆକ୍ରମଣ କରିଥିଲେ । ଏ ସଂକ୍ରାନ୍ତରେ ପୋଲିସ ଉଭୟପଟୁ ମାମଲା ରୁଜୁ କରି ମିନାକ୍ଷୀଙ୍କ ପୁତ୍ର ରାଜାଙ୍କ ସହ ଅନ୍ୟ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ନାରୀ ନେତ୍ରୀ ମିନାକ୍ଷୀଙ୍କୁ ସାକ୍ଷାତ କରିବାପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ମହାନଗର ବିଜେଡ଼ି ସଭାପତି ବିଜୟ ସାମଲ, ବିଜେଡ଼ି ନେତା ଅନୀଲ ସାହୁଙ୍କ ସମେତ ବହୁ ବିଜେଡ଼ି ନେତା ଯାଇଥିଲେ । ସେହିପରି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର, ଏଏସ୍ପି ପ୍ରଭାତ ରାଉତରାୟ, ଡିଏସ୍ପି ଜେ କେ ପଟନାୟକ, ଏସ୍ଡିପିଓ ବିଷ୍ଣୁ ପତିଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ଏହି ଘଟଣା ପରେ ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଏହାର ତଦନ୍ତ ଜାରି ରହିଥିବା ଏଏସ୍ପି ରାଉତରାୟ ଗଣ ମାଧ୍ୟମକୁ ସୁଚନା ଦେଇଛନ୍ତି । ଆତ୍ମହତ୍ୟା ଉଦ୍ୟମ ସମୟରେ ଏସ୍ପିଙ୍କ କାର୍ଯ୍ୟାଳୟର ୨ଜଣ କର୍ମଚାରୀ ଓ ଅନ୍ୟଜଣେ ମହିଳା ତାଙ୍କୁ ବହୁ କଷ୍ଟରେ ଉଦ୍ଧାର କରିଥିଲେ ।