
ବ୍ରହ୍ମପୁର : ମେଣ୍ଡରାଜପୁର ବସ୍ ମୃତ୍ୟୁ ଘଟଣା ନେଇ ଭାରତୀୟ ବିକାଶ ପରିଷଦ ତରଫରୁ ତୀବ୍ର ଅସଂତୋଷ ପ୍ରକାଶ କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଥିବା ଦୋଷୀମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଉ ବୋଲି ପରିଷଦ ପକ୍ଷରୁ ମଂଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଥିଲା । ଜେଇ ମାନଙ୍କ ସହ ବସ୍ ମାଲିକଙ୍କ ବିରୋଧରେ ମଧ୍ୟ ହତ୍ୟା ମକଦ୍ଧମା କରାଯାଉ ବୋଲି ଦାବି କରାଯିବା ସହ ଗୋଳନ୍ଥରା ଥାନାରେ ପରିଷଦ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିବା କୁହାଯାଇଥିଲା । ସମସ୍ତ ଯନ୍ତ୍ରୀଙ୍କୁ ବିରୁଦ୍ଧରେ ୩୦୪ ଆଇପିସି ଆକ୍ଟରେ ମାମଲା ରୁଜୁ କରାଯିବା ସହ ଗ୍ରାମ ଉନ୍ନୟନ ବିଭାଗର ସମ୍ପୃକ୍ତି ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକରୀଙ୍କୁ ବହିଷ୍କାର କରିବା ସହ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଗିରଫ କରାଯାଉ ବୋଲି ଏଠାରେ ଦାବି କରାଯାଇଥିଲା । ମୃତ ବ୍ୟକ୍ତିଙ୍କ ପରିବାରର ଜଣକୁ ସରକାରୀ ଚାକିରି ପ୍ରଦାନ କରିବା, ମୃତ ବ୍ୟକ୍ତିଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ କ୍ଷତି ପୁରଣ ପ୍ରଦାନ କରିବା, ରାଜ୍ୟର ବିଭିନ୍ନ ଅଂଚଳରେ ରହିଥିବା ୧୧କେଭି ଲାଇନଗୁଡ଼ିକୁ ୨୦ ଫୁଟ ଉଚ୍ଚରେ ରଖାଯିବା ପାଇଁ ମଧ୍ୟ ଏଠାରେ ଦାବି ହୋଇଥିଲା । ଏହି ଅବସରରେ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ, ଏସ୍.ଶାମ୍ବାଶିବା ରାଓ, କେ.ସଦାଶିବ ସୁବୁଦ୍ଧି, ରାଜେନ୍ଦ୍ର ଦଳବେହେରା, କିଶୋର ଚନ୍ଦ୍ର ପାତ୍ର,ଗୁରୁ ଚରଣ ପାତ୍ର, ରାଜେନ୍ଦ୍ର ପଣ୍ଡା, ବିରେନ ପଟନାୟକ, ମନୋଜ ବିଶୋୟୀ ପ୍ରମୁଖ ଉପସ୍ଥିତ ଥିଲେ ।






