
ଗୋଳନ୍ଥରା ଥାନା ଅନ୍ତର୍ଗତ ଡଂକଲପାଡ଼ୁ ଗ୍ରାମରୁ ଚିକରଡ଼ାକୁ ନିର୍ବନ୍ଧ ପାଇଁ ଯାଉଥିବା ସିଲ୍କ ସିଟି ନାମକ ଏକ ଘରୋଇ ବସ୍ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଷରେ ଆସି ୯ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ୨୦ ରୁ ୨୫ ଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଘଟଣାର ଖବର ପାଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ, ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉସାହେବ, ଏସ୍ପି ପିନାକ ମିଶ୍ର, ଚିକିଟି ବିଧାୟିକା ଉଷାଦେବୀ, ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ସଂସଦ ଚନ୍ଦ୍ର ଶେଖର ସାହୁଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧି ବଡ଼ ଡାକ୍ତରଖାନା ଓ ଘଟଣାସ୍ଥଳରେ ପହଂଚି ଘଟଣାର ଅନୁସନ୍ଧାନ କରିବା ସହ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା କରିଥିଲେ । ସେହିପରି ସର୍ଦ୍ଧାର ବଲଭଭାଇ ପଟେଲ ବହୁମୁଖି ସଂଘ ସଭାପତି ରାମ କୁମାର ପାତ୍ର ବଡ ଡାକ୍ତରଖାନାରେ ଆହତଙ୍କୁ ସହଯୋଗ କରିଥିଲେ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଶୋକ ପ୍ରକାଶ କରିବା ସହ ମୃତ ପରିବାରଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି ଓ ସମସ୍ତ ଆହତଙ୍କ ମାଗଣା ଚିକିତ୍ସା କରିବାପାଇଁ ନିର୍ଦେଶ ଦେଇଛନ୍ତି । ସେହିପରି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଘଟଣାର ତଦନ୍ତ କରିବାକୁ ନିର୍ଦେଶ ଦେବା ସହ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏହି ଘଟଣା ପାଇଁ ସାଉଥ୍କୋ ପକ୍ଷରୁ ଏକ ଉଚ୍ଚ ସ୍ତରୀୟ ଟିମ୍ ତଦନ୍ତ କରୁଛି । ଏହି ଘଟଣା ନେଇ ସିପିଆଇଏମ୍ଏଲ୍ ରେଡ୍ଷ୍ଟାର୍ ଗଂଜାମ ଜିଲ୍ଲା କମିଟି ପକ୍ଷରୁ ଗଭୀର ଦୁଃଖ ପ୍ରକାଶ କରିବା ସହ ବିଦ୍ୟୁତ୍ ବିଭାଗର ଅବହେଳା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ମୃତାହତ ପରିବାରକୁ ୨୦ଲକ୍ଷ ଏବଂ ଆହତ ହୋଇଥିବା ପରିବାରକୁ ୫ଲକ୍ଷ ଟଙ୍କା ସହ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯାଉ ବୋଲି ଜିଲ୍ଲା ସମ୍ପାଦକ ଶଙ୍କର ସାହୁ ଦାବି କରିଛନ୍ତି ।






