
ବ୍ରହ୍ମପୁର ମହାନଗର ସମେତ ଜିଲ୍ଲାବ୍ୟାପି ରାତିରେ ସଫେଇ କରାଯିବା ସହ ଅଳିଆ ଆବର୍ଜନା ଉଛେଦ କରାଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ସୁଚନା ଦେଇଛନ୍ତି । ଏଥିପାଇଁ ୨ଟି ପର୍ଯ୍ୟାୟରେ କାର୍ଯ୍ୟାରମ୍ଭ ହେବ ବୋଲି ଶନିବାର ମହାନଗର ନିଗମ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଥିଲେ । ଫେବୃୟାରୀ ୮ରୁ ୧୫ ତାରିଖ ପର୍ଯ୍ୟନ୍ତ ଆବାସିକ ଅଂଚଳ ଏବଂ ମାର୍ଚ୍ଚ ପହିଲାରୁ ଜିଲ୍ଲାର ଅନ୍ୟାନ୍ୟ ଅଂଚଳରେ ଏପରି ରାତି ସଫେଇ କରାଯିବ ବୋଲି ଏଠାରେ କୁହାଯାଇଥିଲା । ସେହିପରି ପ୍ରତି ସାହିରୁ କେବଳ ଡଷ୍ଟବିନ୍ ମାଧ୍ୟମରେ ଅଳିଆ ସଂଗ୍ରହ କରାଯିବ ବୋଲି ଜିଲ୍ଲାପାଳ କହିବା ସହ ଯେଉଁମାନେ ରାସ୍ତାରେ ଅଳିଆ ପକାଇବେ କିମ୍ବା ରାସ୍ତା ଉପରେ ଘର ତିଆରି ସାମଗ୍ରୀ ଗଛିତ ରଖିବେ ସେମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ଜରିମାନା ଆଦାୟ କରାଯିବ ବୋଲି ଜିଲ୍ଲାପାଳ ଏଠାରେ ସୁଚନା ଦେଇଥିଲେ । ସଫେଇ କର୍ମଚାରୀମାନଙ୍କୁ ସଫେଇ ଭାଇ ଓ ସଫେଇ ଦିଦି ନାମରେ ଡାକିବାପାଇଁ ଜିଲ୍ଲାପାଳ ଏଠାରେ ପରାମର୍ଶ ଦେଇଥିଲେ । ପ୍ରତି ୱାର୍ଡରେ ସ୍ୱଛତା କମିଟି ଗଠନ କରାଯିବା ସହ ଅଡିଟ କରାଯିବ ବୋଲି ସେ କହିଥିଲେ । ଏହି ଅବସରରେ କମିଶନର ଚକ୍ରବର୍ତ୍ତି ସିଂ ରାଠୋରଙ୍କ ସମେତ ନିଗମର ଅନ୍ୟାନ ଅଧିକାରୀ ଉପସ୍ଥିତ ଥିଲେ ।






