କୋଭିଦ ହସ୍ପିଟାଲ୍ରେ କରୋନ ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ପ୍ରତି ଅବହେଳା ଅଭିଯୋଗ, ପ୍ରଶାସନର ହସ୍ତକ୍ଷେପ ପରେ ସମାଧାନ ।

ଗଂଜାମ ଜିଲ୍ଲାର ଶୀତଳାପଲ୍ଲୀସ୍ଥିତ କୋଭିଦ ହସ୍ପିଟାଲ୍ରେ କରୋନ ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ପ୍ରତି ଅବହେଳା ହୋଇଥିବା ଅଭିଯୋଗ ହୋଇଛି । ଏହି ଡାକ୍ତରମାନେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବାବେଳେ ସେମାନେ ୧୪ଦିନ ଧରି ସଂଗରୋଧରେ ରହିବା ପାଇଁ ମହାନଗରର କିଛି ହୋଟେଲରେ ବ୍ୟବସ୍ଥା କରାଯାଇଥିଲା । ତେବେ ନିଜ ଜୀବନକୁ ବାଜି ଲଗାଇ କରୋନା ସଂକ୍ରମିତଙ୍କ ଚିକିତ୍ସା କରିବା ପରେ ଶୁକ୍ରବାର କିଛି ଡାକ୍ତର ସଂଗରୋଧରେ ରହିବା ପାଇଁ ଇଛୁକ ଥିବାବେଳେ ସେମାନଙ୍କୁ ଦୀର୍ଘ ସମୟ ଧରି କେଉଁଠାରେ ସ୍ଥାନ ଦିଆଯାଇନଥିଲା । ଏହାକୁ ନେଇ ଏମ୍କେସିଜି ମେଡ଼ିକାଲ କଲେଜ ସମ୍ମୁଖରେ ଏହି କାର୍ଯ୍ୟ ନିର୍ବାହ କରିଥିବା ଡାକ୍ତର ବସି ରହିଥିଲେ । ଏଭଳି ସ୍ଥିତି ଯୋଗୁଁ ବହୁ ଡାକ୍ତର ଏହାର ପ୍ରତିବାଦ କରିଥିବା ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ଓ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଏବଂ ବରିÂ ଭେଷଜ ବିଶେଷଜ୍ଞ ତଥା ନୋଡାଲ ଅଫିସର ପ୍ରଫେସର ଉମା ଶଙ୍କର ମିଶ୍ର ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ ଦାୟିତ୍ୱ ବହନ କରିଥିବା ଡାକ୍ତରଙ୍କ ଘରୋଇ ହୋଟେଲରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ରହିବା ପାଇଁ ସ୍ଥିର ହୋଇଥିଲା । କରୋନା ଯୋଦ୍ଧାଭାବେ ଡାକ୍ତରମାନେ ସେବା କରୁଥିବାବେଳେ ସେମାନଙ୍କ ପ୍ରତି ଏପରି ମନୋଭାବ ନେଇ ବିଭିନ୍ନ ମହଲରୁ ଅସଂତୋଷ ପ୍ରକାଶ ପାଇଛି ।